ସୁବର୍ଣ୍ଣପୁର(ରାମ ଶଙ୍କର ଭୋଇ): ସୁବର୍ଣ୍ଣପୁର ଜିଲ୍ଲା ଆଜି ୩୪ ବର୍ଷରେ ପଦାର୍ପଣ କରିଛି। ୧୯୯୩ ମସିହା ଆଜିର ଦିନରେ ସୋନପୁର ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୋନପୁରକୁ ‘ସୁବର୍ଣ୍ଣପୁର’ ନାମରେ ନାମକରଣ କରି ଜିଲ୍ଲା ଭାବେ ଘୋଷଣା କରିଥିଲେ। ଏବଂ ଦାୟିତ୍ୱ ଦେଇଥିଲେ ଜିଲ୍ଲାବାସୀଙ୍କୁ ସୁବର୍ଣ୍ଣପୁର ଭାବେ ଗଢ଼ି ତୋଳିବାକୁ। ବାସ୍ତବରେ ଜିଲ୍ଲାବାସୀଙ୍କ ପାଇଁ ଆଜି ଏକ ଉତ୍ସବର ଦିନ। ଅନ୍ୟ ପକ୍ଷରେ ଅନୁଚିନ୍ତାର ଦିବସ ମଧ୍ୟ। ଗୋଟିଏ ଦିନରେ ଜନ୍ମ ନେଇଥିବା ପାଖ ପଡ଼ୋଶୀ ଜିଲ୍ଲାମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର କେତେ ସୁସ୍ଥ ଏବଂ ସବଳ। ନା ୩୪ ବର୍ଷର ଶିଶୁ ସୁବର୍ଣ୍ଣପୁର ଲମ୍ବୋଦର ଓ କୁଷୋଦର ହୋଇଯାଇଛି।
୨୪ ବର୍ଷର ବିଜେଡି ସରକାରର ଅନ୍ତ ପରେ ଏବେ ରାଜ୍ୟରେ ଭାଜପା ସରକାର। ତେଣୁ ଜିଲ୍ଲାବାସୀଙ୍କ ଆଶା ଓ ବିଶ୍ବାସ ବୃଦ୍ଧି ପାଇଛି। ସରକାରଙ୍କ ୨୦୪୭ ବିକଶିତ ଭାରତ ପରିକଳ୍ପନାକୁ ସାକାର କରିବା ପାଇଁ ଗ୍ରାମୀଣ ଏବଂ ସହରୀ ଭିତ୍ତିଭୂମି ବିକାଶ ଆଧାରିତ କଣ ସବୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନର ଦୀର୍ଘମିଆଦି ଯୋଜନା ରହିଛି, ତାହା ଲୋକେ ଜାଣିବାକୁ ଚାହୁଁଛନ୍ତି। ଜିଲ୍ଲା ଗଠନର ୩୪ ବର୍ଷ ପରେ ମଧ୍ୟ ସଦର ମହକୁମାର ମାଷ୍ଟର ପ୍ଲାନ ହୋଇନାହିଁ। ସହରରେ ବେଆଇନ ଜବର ଦଖଲ ବୃଦ୍ଧି ପାଇଛି। ସମ୍ପନ୍ନ ଲୋକେ କୋଟି କୋଟି ମୂଲ୍ୟର ଜମି ସବୁ ମାଡ଼ିବସିଛନ୍ତି। ଉଚ୍ଛେଦ ଆଦୌ ହେଉନାହିଁ। ପ୍ରଶାସନ ଭୟ ନକରି ଜବର ଦଖଲ ଉଚ୍ଛେଦ କରି ରାସ୍ତା ପ୍ରସସ୍ଥ କରିବାକୁ ସାଧାରଣରେ ଦାବି ହେଉଛି। ଏଯାଏଁ ସହରରେ ଏକ ଜିଲ୍ଲା ସ୍ତରୀୟ ଛକ ହୋଇପାରି ନାହିଁ। ତାହା ପ୍ରଶାସନ ଠାରୁ ଲୋକେ ଆଶା ରଖିଛନ୍ତି। ଟ୍ରାଫିକ ସମସ୍ୟାକୁ ଦୃଷ୍ଟି ଦେଇ ବୁଢ଼ାରଜା ଛକ ଠାରୁ ବ୍ଲକ୍ ଛକ ଏବଂ ମିନିସେକ୍ରେଟାରିଏଟ ଛକ ଯାଏଁ, ନଳିନୀ ଛକ ଠାରୁ ରାମେଶ୍ବର ଷ୍ଟାଡିୟମ ଆଦି ବିଭିନ୍ନ ରାସ୍ତା ଓ ଛକ ଗୁଡ଼ିକର ସଂପ୍ରସାରଣର ଆବଶ୍ୟକତା ରହିଛି। ରାସ୍ତା କଡ ପାର୍କିଂ ଯୋଗୁଁ ଅସ୍ଥାୟୀ ବସ୍ ଷ୍ଟାଣ୍ଡ କୁ ବସ ଯାତାୟାତ ସୁଗମ ହୋଇପାରୁନାହିଁ। ଫଳରେ ପ୍ରାୟ ଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। ସହରରେ ନିର୍ମାଣ ହେଉଥିବା ଡ୍ରେନ ଗୁଡିକର ନିର୍ମାଣ ଶୈଳୀକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମଇଳା ପାଣି ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଜମା ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି। ଯେମିତି ବ୍ଲକ ଛକ, ଆମେଦକର ଛକ, ନଳିନୀ ଛକ ଠାରେ ଦେଖା ଯାଇଛି। ସହରର ମଇଳା ପାଣି ସିଧାସଳଖ ମହାନଦୀରେ ମିଶି ଜଳକୁ ଦୂଷିତ କରୁଛି। ତା’ ଉପରେ ପ୍ରଶାସନର କଣ ଯୋଜନା ରହିଛି ଲୋକେ ଜାଣିବାକୁ ଚାହୁଁଛନ୍ତି। ରାସ୍ତା ପାର୍ଶ୍ବ ବନୀକରଣରେ ରିଂ ରୋଡରେ ଲଗା ଯାଇଥିବା ଗଛ ଗୁଡ଼ିକର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟ ଦୀର୍ଘମିଆଦି ଭିତ୍ତିକ ହେବା ଲୋକେ ଚାହାଁନ୍ତି। ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି, ଦାଦନ ସମସ୍ୟା, ମହାନଦୀକୁ ଦୂଷିତ ଜଳ ପ୍ରବେଶ, ଗ୍ରୀଷ୍ମ ଋତୁରେ ଉତ୍ତାପ ପ୍ରବାହକୁ ରୋକିବା ପାଇଁ ପ୍ରଶାସନିକ ପଦକ୍ଷେପ ସବୁ କଣ ରହିଛି, ତାକୁ ଲୋକେ ଅନାଇବସିଛନ୍ତି। ଆଗାମୀ ଦିନରେ ଏସବୁ ଜିଲ୍ଲା ପାଇଁ ବାସ୍ତବରେ ଅସଲ ପରୀକ୍ଷା ହେବ। ତେଣୁ ଏସବୁ ପ୍ରତି ଜିଲ୍ଲା ପ୍ରଶାସନ ସହିତ ସଚେତନ ନାଗରିକ, ବୁଦ୍ଧିଜୀବୀ ମହଲ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଜନ୍ମୋତ୍ସବ ପାଳୁଛି ସୁବର୍ଣ୍ଣପୁର, ହେଲେ…









