ବୌଦ୍ଧ: କେନ୍ଦ୍ର ବଜେଟକୁ ନେଇ ଜିଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବଜେଟ ଦେଶର ଅର୍ଥନିତିକୁ ସୁଦୃଢ କରିବା ସହିତ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ପ୍ରକାଶ କରିଥିଲେ । ଚାଟାର୍ଡ ଏକାଉଣ୍ଟେଣ୍ଟ୍ ସୁନ୍ଦର ପ୍ରକାଶ ଅଗ୍ରୱାଲା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବଜେଟ୍ ବିକଶିତ ଭାରତର ଭିତିଭୂମିକୁ ସୁଦୃଢ କରିବା ସହିତ ଜଳପଥରେ,ସଡକ ପଥରେ ଏବଂ ରେଳପଥରେ ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳଗୁଡିକ ଯୋଡି ହେବାକୁ ଯାଉଥିବାରୁ ରାଜ୍ୟର ବିକାଶକୁ ଏହା ଗତି ଦେଇପାରିବ ଏବଂ ରାଜ୍ୟରେ ଶିଳ୍ପ ବିପ୍ଳବ ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ । ସେହପରି ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲା ସଭାପତି ବିପ୍ରଚରଣ ମହାନ୍ତି କେନ୍ଦ୍ର ବଜେଟ ଅତ୍ୟନ୍ତ ପ୍ରଭାବି ଏବଂ ବିକାଶ ଓ ଅର୍ଥନିତିକୁ ସନ୍ତୁଳିତ କରିବ ବୋଲି ପ୍ରକାଶ କରିବା ସହିତ ସରକାରଙ୍କ ପକ୍ଷରୁ ୨୦୩୬ ସୁଦ୍ଧା ରାଜ୍ୟର ବିକାଶ ପାଇଁ ଧାର୍ଯ୍ୟ ଲକ୍ଷକୁ ପୂରଣ କରିବାରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ନାମକୁ ନେଇ ବିରୋଧୀ କଂଗ୍ରେସ ରାଜନିତି କରୁଥିବା ଶ୍ରୀମହାନ୍ତି ଅଭିଯୋଗ କରିବା ସହିତ ବିଜେପି ସବୁବେଳେ ଗାନ୍ଧୀଙ୍କ ନିତି ଆଦର୍ଶକୁ ସମ୍ମାନ ଦେଇଆସିଛି ବୋଲି କହିଥିଲେ । ମହାତ୍ମା ଗାନ୍ଧୀଙ୍କ ନାମରେ ବିଜେପି ଗ୍ରାମ ସ୍ୱରାଜ୍ୟ ଯୋଜନା ଆରମ୍ଭ କରିଥିବାବେଳେ ଖୁବଶୀଘ୍ର ଏହାର ଲାଭ ଦେଶବାସୀ ପାଇପାରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବଜେଟ୍ ରେ ଶିଳ୍ପ ଓ ଖଣିଜ ପଦାର୍ଥ ପରିବହନ କୁ ଗୁରୁତ୍ୱ ଦିଆଯାଇଥିବାବେଳେ ସାଧାରଣଲୋକ ଓ ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗ କିପରି ଲାଭବାନ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ମତପ୍ରକାଶ କରିଥିଲେ । ବୌଦ୍ଧ ଭଳି ଏକ କୃଷିଭିତ୍ତିକ ଜିଲାରେ ଶିଳ୍ପ କହିଲେ କିଛି ଧାନକଳ ଏବଂ ଦୁଇଟି ସ୍ପିରିଟ୍ କମ୍ପାନୀକୁ ବୁଝାଉଥିବାବେଳେ ଶିକ୍ଷିତ ଯୁବବର୍ଗଙ୍କ ପାଇଁ କୌଣସି ନିଯୁକ୍ତିର ସୁଯୋଗ ନାହିଁ । ଜିଲାରେ ଦାଦନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଏହି ଘଡ଼ିସନ୍ଧି ସମୟରେ ଗ୍ରାମର ଅର୍ଥନିତି ଉପରେ କେନ୍ଦ୍ରୀୟ ବଜେଟ୍ କଣ ପ୍ରଭାବ ପକାଇବ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ତେବେ ଦେଶର ଭିତିଭୂମି ବିକାଶ ଓ ଦୂରଦୃଷ୍ଟି ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି, ରାଜ୍ୟରେ ରେଳପଥର ବିକାଶ ପାଇଁ ୧୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବା ସହିତ ଜଳପଥର ବିକାଶ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ । ଏହି ବଜେଟ ଦ୍ୱାରା ରାଜ୍ୟରେ ଶିଳ୍ପର ବିକାଶ ହେବା ସହିତ ଯୁବଗୋଷ୍ଠୀଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ସୂଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, ଜିଲା ବିଜେପିର ସାଧାରଣ ସଂପାଦକ ସତ୍ୟାନନ୍ଦ ପାଣ୍ଡେ ଓ ସଂପାଦକ ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ର ବଜେଟକୁ ନେଇ ଜିଲା ବିଜେପିର ସାମ୍ବାଦିକ ସମ୍ମିଳନୀ









