ସୁବର୍ଣ୍ଣପୁର(ରାମ ଶଙ୍କର ଭୋଇ): ସୁବର୍ଣ୍ଣପୁର ପୌରପରିଷଦର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ଏବଂ ତାଙ୍କ ସ୍ଵାମୀ ପୂର୍ବତନ ନଗରପାଳ ତଥା ବିଜେଡି ନେତା ପ୍ରକାଶ ସାହୁ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେଡ଼ି ସଭାରେ ଅନୁପସ୍ଥିତିକୁ ନେଇ ଏବେ ବଢୁଛି ଚର୍ଚ୍ଚା। ଗତ ଶୁକ୍ରବାର ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ବିକ୍ଷୋପ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଜିଲ୍ଲା ସ୍ତରୀୟ ନେତା ଓ କର୍ମୀ ଯୋଗଦେଇଥିଲେ। ହେଲେ ପୂର୍ବତନ ନଗରପାଳ ପ୍ରକାଶ ଏବଂ ତାଙ୍କ ପୌରାଧ୍ୟକ୍ଷା ସ୍ତ୍ରୀଙ୍କୁ ସଭା ମଞ୍ଚରେ ଦେଖିବାକୁ ମିଳିନଥିଲା।

ଫଳରେ ଏହାକୁ ନେଇ ସାଧାରଣରେ ଆଲୋଚନା ଦାନା ବାନ୍ଧିବାରେ ଲାଗିଛି। ସେମିତିବି ଦେଖିଲେ ଗତ କିଛି ଦିନ ଆଗରୁ ପ୍ରକାଶଙ୍କ ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ବିଜେପି ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର ଏବଂ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ସହିତ ପ୍ରକାଶଙ୍କ ଫଟୋ ରହିଥିଲା। ପୌରାଧ୍ୟକ୍ଷାଙ୍କ ସ୍ଵାମୀ ପ୍ରକାଶ ବିଜେଡିରେ ଯୋଗ ଦେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୁବର୍ଣ୍ଣପୁର ପୌରପରିଷଦର ଅଧ୍ୟକ୍ଷ ରହିଥିଲେ। ବିଜେପିର ଅନେକ ନେତାଙ୍କ ସହ ତାଙ୍କର ଏବେ ସୁଦ୍ଧା ସୁସମ୍ପର୍କ ରହିଆସିଛି। ସେମିତି ଦେଖିଲେ ଜିଲ୍ଲା ବିଜେଡିର ଜଣେ ପରେ ଜଣେ ବର୍ତ୍ତମାନ ଓ ପୂର୍ବତନ ସମିତି ସଭ୍ୟ, ସରପଞ୍ଚ ଏବଂ ପଦାଧିକାରୀ ଦଳ ଛାଡୁଛନ୍ତି। ସେମାନେଙ୍କ ମଧ୍ୟରୁ କେତେକଙ୍କ ଫଟୋ ବିଜେପି ନେତା ଓ ସାଂସଦଙ୍କ ସହିତ ଗୋଟିଏ ଫ୍ରେମରେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଆଉ କେତେକ ନେତା ଭାଜପା ଉତ୍ତରି ଓ ଟୋପି ପିନ୍ଧି ସିଧାସଳଖ ଦଳରେ ସାମିଲ ହୋଇସାରିଛନ୍ତି। ଏଣୁ ପ୍ରକାଶ ତାଙ୍କ ସ୍ତ୍ରୀ ତାମସୀଙ୍କ ସହ ଘର ବାହୁଡ଼ା କରିପାରନ୍ତି ବୋଲି ଜିଲ୍ଲାରେ ରୋଚକ ଆଲୋଚନା ହେଉଛି। ହେଲେ ପୌରାଧ୍ୟକ୍ଷା କି ତାଙ୍କ ସ୍ଵାମୀ ବିଜେଡିରୁ ଏଯାଏଁ ଇସ୍ତଫା ପତ୍ର ଦେଇ ନଥିବା ଜଣାଯାଇଛି। ବିଜେପି ବିଧାୟକ ଓ ସାଂସଦଙ୍କ ସହ ତାଙ୍କ ଫଟୋ ଘୁରି ବୁଲିବା। ଏବଂ ସଦ୍ୟ ବିଜେଡି ସଭାରେ ଅନୁପସ୍ଥିତ ରହିବାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚର୍ଚ୍ଚା ଓ ଆଲୋଚନାରେ କେତେ ବାସ୍ତବତା ରହିଛି, ତାହା ଦେଖିବାକୁ ବାକି ରହିଲା।









