Home / ଆମ ଓଡ଼ିଶା / ସୁବର୍ଣ୍ଣପୁର:ପ୍ରଶାସନିକ କ୍ଷେତ୍ରରେ କ୍ରିକେଟ ଫର୍ମୁଲା

ସୁବର୍ଣ୍ଣପୁର:ପ୍ରଶାସନିକ କ୍ଷେତ୍ରରେ କ୍ରିକେଟ ଫର୍ମୁଲା

IMG 20260227 WA0007 NtvOdia

ସୁବର୍ଣ୍ଣପୁର,(ରାମ ଶଙ୍କର ଭୋଇ): ସୁସାହିତ୍ୟିକ, ବକ୍ତା, କବି, ଲେଖକ ପରି ଜଣେ ସୃଜନଶୀଳ ବ୍ୟକ୍ତି ଡ଼ ନୃପରାଜ ସାହୁଙ୍କୁ ଜିଲ୍ଲାପାଳ ଭାବେ ପାଇ ସୁବର୍ଣ୍ଣପୁର ଜିଲ୍ଲାବାସୀ ବେଶ୍ ଉଲ୍ଲସିତ ହୋଇଥିଲେ। ଭାବିଥିଲେ, ସେ ନୂତନ ଆଭିମୁଖ୍ୟ ନେଇ ଜିଲ୍ଲା ବିକାଶର ଷୋପାନକୁ ଶିଖର ଆଡକୁ ଟାଣି ନେବେ। ଜିଲ୍ଲା ପ୍ରଗତିର ଷୋପାନ ଛୁଇଁବ। ଜିଲ୍ଲାର ଅସମ୍ପୂର୍ଣ୍ଣ ଯୋଜନା ସବୁ ସଂପୂର୍ଣ୍ଣ ହେବ। ନୂଆଁ ଦୃଷ୍ଟିକୋଣ ରଖି ସରକାରଙ୍କ ୨୦୪୭ ବିକଶିତ ଭାରତ ପରିକଳ୍ପନାକୁ ସାକାର କରିବା ପାଇଁ ଗ୍ରାମୀଣ ଏବଂ ସହରୀ ଭିତ୍ତିଭୂମି ବିକାଶ ଆଧାରିତ ନୂତନ ଯୋଜନାର ନକ୍ସା ପ୍ରସ୍ତୁତ କରିବେ। ସହରର ମଇଳା ପାଣି ସିଧାସଳଖ ମହାନଦୀରେ ମିଶି ଜଳକୁ ଦୂଷିତ କରୁଛି। ତା’ ଉପରେ ଜିଲ୍ଲାପାଳ ଯୋଜନା ପ୍ରସ୍ତୁତ କରି କିଛି ପଦକ୍ଷେପ ନେବେ। ଜିଲ୍ଲା ଗଠନର ୩୩ ବର୍ଷ ପରେ ମଧ୍ୟ ସଦର ମହକୁମାର ମାଷ୍ଟର ପ୍ଲାନ ହୋଇନାହିଁ। ସଦରରେ ବେଆଇନ ଜବର ଦଖଲ ବୃଦ୍ଧି ପାଇଛି। ସମ୍ପନ୍ନ ଲୋକେ କୋଟି କୋଟି ମୂଲ୍ୟର ସରକାରୀ ଜମି ସବୁ ମାଡ଼ିବସିଛନ୍ତି। ତା’ଉପରେ ପଦକ୍ଷେପ ଗ୍ରହଣ କରିବେ। ସହରର ଟ୍ରାଫିକ ସମସ୍ୟାକୁ ଦୃଷ୍ଟି ଦେଇ ବୁଢ଼ାରଜା ଛକ ଠାରୁ ବ୍ଲକ୍ ଛକ ଏବଂ ମିନିସେକ୍ରେଟାରିଏଟ ଛକ ଯାଏଁ, ନଳିନୀ ଛକ ଠାରୁ ରାମେଶ୍ବର ଷ୍ଟାଡିୟମ ଆଦି ବିଭିନ୍ନ ରାସ୍ତା ଓ ଛକ ଗୁଡ଼ିକର ସଂପ୍ରସାରଣର ପାଇଁ ପଦକ୍ଷେପ ନେବେ। ଅସ୍ଥାୟୀ ବସ୍ ଷ୍ଟାଣ୍ଡକୁ ବସ ଯାତାୟାତକୁ ସୁଗମ କରିବେ। ସହରରେ ନିର୍ମାଣ ହେଉଥିବା ଡ୍ରେନ ଗୁଡିକର ନିର୍ମାଣ ଶୈଳୀ ବଦଳିବ। ଏହା ସହ ସେ ପୂର୍ବରୁ ବିଶ୍ଵବିଦ୍ୟାଳୟର କୁଳସଚିବ ରହିଥିବା କାରଣରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସାମ୍ପ୍ରତିକ ପରିସ୍ଥିତିର ସଠିକ୍ ଅନୁଧ୍ୟାନ ହୋଇପାରିବ ବୋଲି ଲୋକେ ଆଶା ପ୍ରକାଶ କରିଥିଲେ। ଲୋକ ସମସ୍ୟା ଉପରେ ଜିଲ୍ଲାପାଳ ଡ଼ ସାହୁ କାର୍ଯ୍ୟ କରିବେ ବୋଲି ଲୋକେ ଚାହିଁ ରହିଥିଲେ। ହେଲେ ଏବେ ସାଧାରଣ ଲୋକଙ୍କ ଆଶା ଭରସା ସବୁ ଭାଙ୍ଗି ଯାଇଛି। ଜିଲ୍ଲାରେ ତାଙ୍କ କାର୍ଯ୍ୟକାଳକୁ ୭ ମାସ ପୁରିଥିବା ସ୍ଥଳେ ସେ ଆସନ୍ତା ଅଗଷ୍ଟ ମାସରେ ଅବସର ଗ୍ରହଣ କରିବେ। ତେଣୁ ତାଙ୍କୁ ନାଇଟ୍ ୱାଚର୍ ଜିଲ୍ଲାପାଳ ବା ରାତ୍ର ଜଗୁଆଳି ଜିଲ୍ଲାପାଳ ବୋଲି ଲୋକେ ସାଧାରଣରେ ଚର୍ଚ୍ଚା କରୁଛନ୍ତି। ଷ୍ଟେଟ କ୍ରିକେଟ ଖେଳରେ ଦିବସର ଶେଷ ଆଡ଼କୁ ଵ୍ୟାଡ୍ସମ୍ୟାନ ଆଉଟ୍ ହେଲେ ନିୟମିତ ଵ୍ୟାଡ୍ସମ୍ୟାନକୁ ନପଠେଇ ଜଣେ ଟେଲ ଅର୍ଡର ଵ୍ୟାଡ୍ସମ୍ୟାନଙ୍କୁ ପଠା ଯାଇଥାଏ। ସେହି ଟେଲ୍ ଅର୍ଡର ଵ୍ୟାଡ୍ସମ୍ୟାନଙ୍କୁ ନାଇଟ ୱାଚର ଵ୍ୟାଡ୍ସମ୍ୟାନ ବା ରାତ୍ର ଜଗୁଆଳି ଵ୍ୟାଡ୍ସମ୍ୟାନ କୁହାଯାଇଥାଏ। କ୍ରିକେଟର ଏହି ନାଇଟ ୱାଚାର ଫର୍ମୁଲା ଏବେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନରେ ଦେଖିବାକୁ ମିଳିଛି। ଜିଲ୍ଲାପାଳ ଡ଼ ସାହୁଙ୍କୁ ଆଉକେହି ନିୟମିତ ଜିଲ୍ଲାପାଳ ଭାବେ ଗ୍ରହଣ କରୁନାହାନ୍ତି। ସେ ଯେ ଖାଲି ନାଇଟ ୱାଚର ଵ୍ୟାଡ୍ସମ୍ୟାନ ଭଳି ସମୟ ଗଡେଇବେ ତାହା ଜଳ ଜଳ ଦେଖାଗଲାଣି। ନାଇଟ ୱାଚର ଵ୍ୟାଡ୍ସମ୍ୟାନ ମଧ୍ୟ ବେଳେ ବେଳେ ଧମାକାଦାର ପ୍ରଦର୍ଶନ କରିଥାନ୍ତି। ସେହି ଆଶା ଆମେ ଜିଲ୍ଲାପାଳ ଡ଼ ସାହୁଙ୍କ ଠାରୁ ରଖିପାରିବା। ଧମାକାଦାର ପ୍ରଦର୍ଶନକୁ ଅପେକ୍ଷା କରିବା।

Leave a Reply

Your email address will not be published. Required fields are marked *