Home / ଆମ ଓଡ଼ିଶା / ଓଡ଼ିଆରେ ନାମ ଫଳକ ଲେଖା ସରକାରୀ ନାଲିଫିତା ତଳେ

ଓଡ଼ିଆରେ ନାମ ଫଳକ ଲେଖା ସରକାରୀ ନାଲିଫିତା ତଳେ

IMG 20260224 WA0002 NtvOdia

ସୁବର୍ଣ୍ଣପୁର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନାମାର ଅନୁପାଳନ ସୁବର୍ଣ୍ଣପୁର ଜିଲ୍ଲାରେ ହେଉନାହିଁ। ଓଡ଼ିଆରେ ସାଇନ୍ ବୋର୍ଡ ବା ଫଳକ ଲେଖିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ସୁବର୍ଣ୍ଣପୁର ପୌରାଞ୍ଚଳରେ ତାହା ଦୃଷ୍ଟିଗୋଚର ହେଉନାହିଁ। ଓଡ଼ିଶାର ମହାନଗର ନିଗମ, ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ିକର ଅଧୀନରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ଵ ଦିଆଯିବ। ଏହିସବୁ ଗୁଡିକରେ ଓଡ଼ିଆରେ ସାଇନ୍ ବୋର୍ଡ ବା ଫଳକ ରହିବ। ଏହାକୁ କାର୍ଯ୍ୟକାରୀ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ଐତିହର ପ୍ରୋତ୍ସାହନ ତଥା ଯେଉଁମାନେ ଅନ୍ୟ ଭାଷା ବା ଲିପି ବୁଝି ନପାରନ୍ତି ସେମାନଙ୍କ ପାଇଁ ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶାନାମା ଜାରି କରାଯାଇଛି। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକ ନିଶ୍ଚିତ ଭାବେ ସେମାନଙ୍କ ସାଇନ୍ ବୋର୍ଡର ମୋଟ କ୍ଷେତ୍ରଫଳର ଅନ୍ୟୁନ ୬୦ ଭାଗ ଓଡ଼ିଆ ଭାଷା ଲିପି ବ୍ୟବହାର କରିବେ। ଏହା ଆମ ରାଜ୍ୟ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜନସାଧାରଣ ନିମନ୍ତେ ସୁବିଧାଜନକ ହେବ। ଏହି ନିର୍ଦ୍ଦେଶର ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ନିୟମ ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକୁ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ଦିଆ ଯିବାର ବ୍ୟବସ୍ଥା ରହିଛି। ଟ୍ରେଡ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟରେ ଅନୁପାଳନ ଗତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରି ଉପରୋକ୍ତ ନିର୍ଦ୍ଦେଶର ପରିପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁପାଳନ କରୁନଥିବା ପ୍ରତିଷ୍ଠାନମାନଙ୍କୁ ବିଜ୍ଞପ୍ତି ଜାରି କରାଯିବ ଏବଂ ସେମାନଙ୍କୁ ସାଇନ ବୋର୍ଡ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ। ଏହା ପାଳନ ନହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ ପ୍ରତିଦିନ ପାଞ୍ଚଶହ ଟଙ୍କା ଜରିମାନା ଲାଗୁ ହେବ। ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ନିର୍ଦ୍ଦେଶ ସମ୍ପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଶିକ୍ଷିତ କରିବା ସହ ସୁଗମ କାର୍ଯ୍ୟକାରୀତା ପାଇଁ ସଚେତନତା ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସୁବର୍ଣ୍ଣପୁର ପୌରପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶ ଅନୁପାଳନ ନକରି ପୌରପାଳିକା ବସି ପଡ଼ିଛି। ଏସଂପର୍କରେ ପୌରପରିଷଦର ଇଓ ଋଷି ମାଝିଙ୍କୁ ପଚାରିବାରୁ ଟ୍ୟାକ୍ସ କଲେକ୍ଟର ମାନଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ଦାୟିତ୍ଵ ସାରିଦେଇଥିଲେ।

Leave a Reply

Your email address will not be published. Required fields are marked *