ସୁବର୍ଣ୍ଣପୁର(ରାମ ଶଙ୍କର ଭୋଇ): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଅଟେ। ଏହି ବିଭାଗଟି ସରକାରଙ୍କ ଆଖି, କାନ, ନାକ ଓ ମୁଖ ସଦୃଶ। ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକରୀ ଯୋଜନା ତଥା ଜନହିତଧିକର କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚେଇବାରେ ବିଭାଗଟି ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଗତ ୬ମାସରୁ ଉର୍ଦ୍ଧ୍ବ ହେବ ତତ୍କାଳୀନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ବଦଳି ହୋଇ ଗଲା ଦିନ ଠାରୁ ଏହି ବିଭାଗ ଉଧାରିରେ ଚାଲିଛି। ଏଠାରେ ଜଣେ ନିୟମିତ ଅଧିକାରୀ ନାହାନ୍ତି। ବର୍ତ୍ତମାନ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ସେ ଜିଲ୍ଲା ପଞ୍ଚାୟତ ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ଵରେ ରହିଛନ୍ତି। ଜଣିଏଁ ବ୍ୟକ୍ତି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ଵ ତାଙ୍କ ହାତରେ ଥିବା କାରଣରୁ ସେ କୌଣସି ଗୋଟିଏକୁ ସୁଦ୍ଧା ଉଚିତ୍ ନ୍ୟାୟ ଦେଇ ପାରୁ ନଥିବା ସାମ୍ବାଦିକ ମହଲରେ ଆଲୋଚନା ହେଉଛି। ତାଙ୍କୁ ସାମ୍ବାଦିକମାନେ ସୂଚନା ତଥା ତଥ୍ୟ ହେଉ କି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଫୋନ୍ କରୁଥିଲେ ସୁଦ୍ଧା ସେ ଅସମର୍ଥ ହେଉଛନ୍ତି। ମୋବାଇଲ ଉଠାଉ ନାହାନ୍ତି କି ତାଙ୍କ ପଟରୁ ଫୋନ୍ କଲ୍ ସୁଦ୍ଧା ଫେରାଇ ପାରୁନାହାନ୍ତି। ଏହା ତାଙ୍କର କାର୍ଯ୍ୟଭାରକୁ ବେଶ୍ ସ୍ପଷ୍ଟ ଭାବରେ ଚିତ୍ରିତ କରୁଛି। କାରଣ ତାଙ୍କ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ଦୁଇ ଦୁଇଟି ବିଭାଗ ରହିଛି। ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟକଳାପ ମାଆ ଗଙ୍ଗେଙ୍କୁ ଜଣାଥିବ। କିନ୍ତୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟକଳାପ ବେଶ୍ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ସୂଚନା ଅଧିକାରୀ ଭାବେ ଦେଖିଲେ ତାଙ୍କ ପାଖରେ ସୂଚନାର ଘୋର ଅଭାବ ଦେଖା ଦେଇଛି। ନ’ହେଲେ ସେ “ସୋନପୁର ମହାବିଦ୍ୟାଳୟ” କୁ ସୋନପୁର ରାଜ ମହାବିଦ୍ୟାଳୟ ଲେଖୁନଥାନ୍ତେ। ରାଜ ମହାବିଦ୍ୟାଳୟ ନାମରେ କୌଣସି କଲେଜ ହିଁ ଜିଲ୍ଲାରେ ନାହିଁ। କେବଳ କିଛି ଲୋକ “ସୋନପୁର ମହାବିଦ୍ୟାଳୟ”କୁ ଅଜ୍ଞତା ବଶତଃ ‘ରାଜ କଲେଜ’ ବୋଲି କହିଥାନ୍ତି। ପୂର୍ବରୁ ମଧ୍ୟ ଏମିତି ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ରାଜ ମହାବିଦ୍ୟାଳୟ ବୋଲି ଲିଖିତ ପତ୍ରାଲାପକୁ ନେଇ ପୂର୍ବତନ ଛାତ୍ରଛାତ୍ରୀ ସଂଘ ସୋନପୁର ମହାବିଦ୍ୟାଳୟ ପକ୍ଷରୁ ଘୋର ନିନ୍ଦା କରାଯାଇ ଜିଲ୍ଲାପାଳଙ୍କ ଠାରେ ସଂଘ ଲିଖିତ ଅଭିଯୋଗ କରିଥିଲା। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମାଝି ଲୋକ ସମ୍ପର୍କ ଅଧିକାରୀ ଭାବେ ମଧ୍ୟ ସମ୍ପୂର୍ଣ୍ଣ ଫେଲ ରହିଛନ୍ତି। ଯଦି ସେ ଲୋକ ସମ୍ପର୍କ ରଖି ପାରୁଥାନ୍ତେ ତା’ହେଲେ ତାଙ୍କ ପାଖରେ ଏ ପ୍ରକାର ସୂଚନାର ଅଭାବ ଦେଖା ଦେଉନଥାନ୍ତା। ଶ୍ରୀ ମାଝିଙ୍କ ପାଖରେ ସାମ୍ବାଦିକମାନଙ୍କ ଫୋନ୍ ଉଠାଇବାକୁ ସମୟ ନଥିବା ସ୍ଥଳେ ଲୋକଙ୍କ ପାଇଁ କଣ ଥିବ ବୋଲି ଆଲୋଚନା ହେଉଛି। ‘ସାମ୍ବାଦିକ ମାନଙ୍କ ପ୍ରତି ଶ୍ରୀ ମାଝିଙ୍କ ବ୍ୟବହାର କହିଲେ କୁଳ କୁଟୁମ୍ବକୁ ଲାଜ ନକହିଲେ କୁଳ ଭାସିଯାଉଛି’ ସଦୃଶ ହୋଇଛି। ଶ୍ରୀ ମାଝିଙ୍କୁ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଗୁରୁତ୍ଵପୂର୍ଣ୍ଣ ପଞ୍ଚାୟତ ନିର୍ବାଚନ ରହିଥିବା କାରଣରୁ ଶ୍ରୀ ମାଝିଙ୍କ କାର୍ଯ୍ୟ ଆହୁରି ଅଧିକ ସୂଚନା ବିଭାଗ ପ୍ରତି ଅନ୍ୟାୟପୂର୍ଣ୍ଣ ହେବ ବୋଲି ଏବେଠାରୁ ଜଳ ଜଳ ଦେଖାଯାଉଛି। ତେଣୁ ଆଉ ଅଧିକ ଦିନ ଉଧାରିରେ ବିଭାଗ ନଚଲେଇ ଜଣେ ନିୟମିତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିଲ୍ଲାକୁ ଦେବା ପାଇଁ ସାମ୍ବାଦିକ ଏବଂ ନାଗରିକ ମହଲରେ ଦାବି ହେଉଛି।









