Home / ରାଜନୀତି / ସମ୍ମାନ କ୍ଷୁର୍ଣ୍ଣକାରୀ ମୁଦ୍ରାରେ ଜିଲ୍ଲା ପ୍ରଶାସନ

ସମ୍ମାନ କ୍ଷୁର୍ଣ୍ଣକାରୀ ମୁଦ୍ରାରେ ଜିଲ୍ଲା ପ୍ରଶାସନ

IMG 20260219 WA0031 NtvOdia

ସୁବର୍ଣ୍ଣପୁର,(ରାମ ଶଙ୍କର ଭୋଇ): ବାସ୍ତବରେ ସୁବର୍ଣ୍ଣପୁର ଜିଲ୍ଲା ଏବଂ ମୋହନ ସରକାରକୁ ଅପଦସ୍ତ ବା ବଦନାମ କରୁଛି କିଏ? ଏମିତି ଏକ ପ୍ରଶ୍ନକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ନୁହଁ ତ ଆଉ କିଏ? ଭଳି ରୋଚକ ଉତ୍ତର ମଧ୍ୟ ଆଲୋଚନାର ପରିସରକୁ ଅଧିକ ଆମୋଦିତ କରୁଛି। ବାସ୍ତବରେ ଜିଲ୍ଲାର ଦୁଇଟି ଘଟଣା କ୍ରମକୁ ଯଦି ବିଶ୍ଳେଷଣ କରାଯାଏ ତା’ହେଲେ ଏ ଆଲୋଚନା ସତ ମନେ ହେଉଛି। ପ୍ରଥମ ଘଟଣା ମହିମା ଲୋକ ମହୋତ୍ସବ। ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜିଲ୍ଲାକୁ ସମ୍ମାନିତ ଅତିଥି ରୂପେ ନିମନ୍ତ୍ରିତ ହୋଇ ଆସିଥିଲେ। ମହିମା ସଭା ମଞ୍ଚ ସମ୍ମୁଖରେ ତାଙ୍କୁ ଅସମ୍ମାନିତ କରାଗଲା। ଅସମ୍ମାନିତ କରାଯିବା ପାଇଁ ପୂର୍ବ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିଲା। ସାଧାରଣରେ ଆଲୋଚନା ମଧ୍ୟ ହୋଇଥିଲା। ହେଲେ ଜିଲ୍ଲା ପୁଲିସ ପ୍ରଶାସନ ଜାଣି ପାରିନଥିଲା। ଯଦି ଜିଲ୍ଲା ପୁଲିସ ପ୍ରଶାସନ ଆଗତୁରା ପଦକ୍ଷେପ ନେଇ ଥାନ୍ତା, ତା’ହେଲେ ଜିଲ୍ଲାର ସମ୍ମାନ ବଞ୍ଚି ଯାଇଥାନ୍ତା। ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଐତିହ୍ୟ, ଲୋକ ପରମ୍ପରା ଓ ସୃଜନଶୀଳତାକୁ ବିଶ୍ଵ ମଞ୍ଚରେ ପ୍ରତିଷ୍ଠିତକରିବା ଲକ୍ଷ୍ୟ ପଥଭ୍ରଷ୍ଟ ହୋଇଯାଇଥିଲା। ଅତିଥିଙ୍କ ସାଂସ୍କୃତିକ ବାର୍ତ୍ତା ମିଳେଇ ଯାଇଥିଲା। ଜିଲ୍ଲାର “ମହିମା” ପ୍ରଚାର ବଦଳରେ ଚଉକି ଉଠା ଦୃଶ୍ୟ ସାରା ରାଜ୍ୟକୁ ସରଗରମ କରିଥିଲା। ଦ୍ଵିତୀୟରେ ସୁଭଦ୍ରା ଶକ୍ତି ମେଳା ଅବସର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁବର୍ଣ୍ଣପୁର ଜିଲ୍ଲାର ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠର ବ୍ୟାପକ ବିକାଶ ନିମନ୍ତେ ୩୫ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଅବସରରେ ୨୭୬ କୋଟି ଟଙ୍କା ମୂଲ୍ୟର ୫୮ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାର ୧୮୪୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ପ୍ରଦାନ କରିଥିଲେ। ଏହା ସହିତ ରାଜ୍ୟ ସ୍ତରୀୟ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମାଝି ଜନହିତକର କେନ୍ଦ୍ର ବଜେଟର ଅନେକ ବିନ୍ଦୁ ଉପସ୍ଥାପନା କରିଥିଲେ। ହେଲେ ସାରା ରାଜ୍ୟର ଗଣମାଧ୍ୟମ ଗୁଡିକରେ ଚାଲିଲା କଣ “ଟଚ୍ ମି ନଟ, ସ୍ପିକ୍ ମି ନଟ, ସି ମି ନଟ”। ଯିଏ ଯାହା ଶ୍ରେୟ ନେବା କଥା ନେଲେ। ହେଲେ ଲୋକପ୍ରିୟ ସରକାର ଓ ଜିଲ୍ଲା ପାଇଲା କଣ? ତାକୁ ନେଇ ସହସ୍ର ପ୍ରଶ୍ନ ସାଧାରଣରେ। ଜିଲ୍ଲାରେ ରାଜନୀତିଜ୍ଞ ଲୋକ ତଥା ନେତୃତ୍ବର ଅଭାବ କାରଣରୁ ଏପରି ଘଟୁଥିବା ସଚେତନ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *